ଡିଏଭି କଳିଙ୍ଗନଗରରେ ଓଡ଼ିଆ ପକ୍ଷ ଅବସରରେ ଓଡ଼ିଆ ନବ ବର୍ଷ ପାଳିତ

Express News

ତା ୧୫/୪/୨୦୨୫ ରିଖ: ଡିଏଭି ପବ୍ଲିକ ସ୍କୁଲ କଳିଙ୍ଗ ନଗରରେ ଓଡ଼ିଆ ପକ୍ଷ ଅବସରରେ ଓଡ଼ିଆ ଜାତିର ପାରମ୍ପରିକ ନବ ବର୍ଷ ତଥା ମହାବିଷୁବ ସଙ୍କ୍ରାନ୍ତି ପାଳିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ ଓଡ଼ିଆ ପକ୍ଷ ସାରା ରାଜ୍ୟରେ ନୂଆ ଢଙ୍ଗରେ ଏପ୍ରିଲ ୧  ତାରିଖ ଓଡ଼ିଶା ଦିବସରୁ ଏପ୍ରିଲ ୧୪ ତାରିଖ ମହାବିଷୁବ ସଙ୍କ୍ରାନ୍ତି ପର୍ଯ୍ୟନ୍ତ ମହା ଆଡମ୍ବରରେ ପାଳନ କରାଯାଇଛି । ପ୍ରତ୍ଯେକ ଓଡ଼ିଆଙ୍କ ମଧ୍ୟରେ ଭାଷା ପ୍ରୀତିକୁ ଜାଗ୍ରତ କରିବା ପାଇଁ ତଥା ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ଓଡ଼ିଶା ସରକାରଙ୍କର ଏହା ଏକ ଅଭିନବ ଏବଂ ସ୍ବାଗତଯୋଗ୍ୟ ପଦକ୍ଷେପ ।  ଛାତ୍ରଛାତ୍ରୀମାନଙ୍କ  ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ଯ, ସଂସ୍କୃତି, ପରମ୍ପରା ଓ ରୀତିନୀତିକୁ ଉଜ୍ଜୀବିତ ରଖିବା ପାଇଁ ପ୍ରଥମ ଦିନରୁ ପାରମ୍ପରିକ ଖାଦ୍ଯ, କବିତା ଲିଖନ, ନବ ବର୍ଷ ଅଭିନନ୍ଦନ ପତ୍ର ଏବଂ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ  ପାରମ୍ପରିକ ବସ୍ତ୍ର ପରିଧାନ, କବିତା ଆସରର ଆୟୋଜନ କରାଯାଇଥିଲା । ଏହି କବିତା ଆସରରେ ବିଭିନ୍ନ ବିଭାଗର ଶିକ୍ଷକଶିକ୍ଷୟିତ୍ରୀମାନେ ସ୍ଵରଚିତ କବିତା ପାଠ କରିଥିଲେ । ଏଥିସହିତ ଓଡ଼ିଆ ନବ ବର୍ଷ ମଧ୍ୟ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଳରାମ ମହାପାତ୍ର ସମସ୍ତଙ୍କୁ ସାହିତ୍ଯମନସ୍କ ହେବା ପାଇଁ ଏବଂ ସେମାନଙ୍କ ଲେଖନୀକୁ ସଦାସର୍ବଦା ଚଳଚଞ୍ଚଳ ରଖିବା ପାଇଁ ଆହ୍ଵାନ ଦେଇଥିଲେ । ଓଡ଼ିଆ ଭାଷା ସାହିତ୍ୟକୁ ଋଦ୍ଧିମନ୍ତ କରିବା ନିମନ୍ତେ ସମସ୍ତଙ୍କର ସହଭାଗିତା ରହିବା ଏକାନ୍ତ ଆବଶ୍ୟକ ବୋଲି ସେ କହିଥିଲେ ।  ପରିଶେଷରେ ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ ଓଡ଼ିଆ ବିଭାଗ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଥିଲା ।

Leave a Reply

Your email address will not be published. Required fields are marked *

Back To Top
× How can I help you?