ଖରାଦିନେ ପଶୁପକ୍ଷୀଙ୍କ ସେବାରେ ସମାଜସେବୀ ପ୍ରତାପ ସାହୁ

Express News


ଭୁବନେଶ୍ୱର, ୯.୪. : ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଫଳରେ ତାପମାତ୍ରା
ଏତେ ମାତ୍ରାରେ ବୃଦ୍ଧି ପାଉଛି ଯେ, ମଣିଷ କ’ଣ ପଶୁପକ୍ଷୀ ମଧ୍ୟ ଗ୍ରୀଷ୍ମପ୍ରବାହରେ ରକ୍ଷା
ପାଇପାରୁ ନାହାଁନ୍ତି । ଆଜିର ଦୁନିଆରେ ସ୍ୱାର୍ଥପର ମଣିଷମାନେ ନିଜର ସ୍ୱାର୍ଥ
ପାଇଁ ଗଛସବୁ କାଟିଦେବା ଫଳରେ ଶହ ଶହ ଗଛ ବଳି ପଡୁଛନ୍ତି । ଶିଳ୍ପ ପ୍ରତିଷ୍ଠା, କଳ
କାରଖାନା ପ୍ରତିଷ୍ଠା ଓ ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ ପାଇଁ କେଉଁ ଅନାଦି
କାଳରୁ ରହିଆସିଥିବା ବିରାଟକାୟ ଗଛସବୁକୁ କାଟି ଦିଆଯାଉଛି । ଫଳରେ
ଜୈବ ବିବିଧତା ଧ୍ୱଂସାଭିମୁଖୀ । ଜଙ୍ଗଲ ଧ୍ୱଂସ ଫଳରେ ରାଜ୍ୟରେ ଦେଖା ଦେଇଛି ଅନେକ
ସମସ୍ୟା । ସୃଷ୍ଟି ହେଉଛି ବିଶ୍ୱତାପନ ଆଉ ବୃଦ୍ଧି ପାଉଛି ପୃଥିବୀର ତାପମାତ୍ରା ।
ଗ୍ଲୋବାଲ ୱାର୍ମିଂର ପ୍ରଭାବ ମଣିଷ ଓ ପଶୁପକ୍ଷୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି ।
ଦେଖାଦେଇଛି ଭୂତଳ ଜଳସ୍ତର ହ୍ରାସ, ତାପମାତ୍ରା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଓ
ବିପର୍ଯ୍ୟୟମୁଖୀ ସବୁଜିମା ଜୀବଜଗତକୁ ଠେଲି ଦେଇଛି ।
ସାଧାରଣତଃ ମାର୍ଚ୍ଚମାସ ଠାରୁ ସାରାଦେଶରେ ତାପମାତ୍ରା ସର୍ବନିମ୍ନ ୪୦
ଡିଗ୍ରୀରୁ ଆରମ୍ଭ ହୋଇ ୫୦ରୁ ୫୫ଡିଗ୍ରୀ ଅତିକ୍ରମ କରିଥାଏ । ଫଳରେ ଅସହ୍ୟ
ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଧନୀଶ୍ରେଣୀର ଲୋକମାନେ ଶୀତତାପ ନିୟନ୍ତ୍ରିତ
ଘରେ ରହୁଥିବା ବେଳେ ମଧ୍ୟବିତ୍ତ ଓ ଗରିବଲୋକମାନେ ଯେନତେନ ପ୍ରକାରଣେ ଥଣ୍ଡାପାଣି
ପିଇ ମୁଣ୍ଡ ଗୁଞ୍ଜି ରହିଯାଆନ୍ତି । କିନ୍ତୁ ପ୍ରକୃତି ସହିତ ତାଳ ଦେଇ ଜୀବନ ଯାପନ
କରୁଥିବା ପଶୁପକ୍ଷୀ, କୀଟପତଙ୍ଗମାନଙ୍କ କେହି ସାହା ଭରସା ନଥାନ୍ତି । ସେମାନେ ଡହ ଡହ
ଖରାରେ ପାଣି ଟୋପେ ପିଇବା ପାଇଁ ଡହଳ ବିକଳ ହେଉଥିବା ବେଳେ ଏହାକୁ ଦେଖି
ପ୍ରତାପ ସାହୁ ପଶୁପକ୍ଷୀଙ୍କ ସେବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଶ୍ରୀଯୁକ୍ତ ସାହୁ ରାଜଧାନୀ
ଭୁବନେଶ୍ୱରର ଖଣ୍ଡଗିରି, ଧଉଳିଗିରି, ଡମ୍ପଡ଼ା, ନିଳାଦ୍ରୀ ବିହାର ଭଳି
ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ପକ୍ଷୀମାନଙ୍କ ପାଇଁ ବଡ଼ ବଡ଼ ଗଛ
କୋରଡ଼ରେ ମାଟିପାତ୍ରରେ ପାଣି ରଖିଥାନ୍ତି ଏବଂ ପଶୁମାନଙ୍କ ପାଇଁ
ରାସ୍ତାକଡ଼ରେ ମଧ୍ୟ ପାଣିର ବ୍ୟବସ୍ଥା କରିଥାନ୍ତି । କେବଳ ରାଜଧାନୀ ନୁହେଁ ଶ୍ରୀ
ସାହୁଙ୍କ ନିଜ ଗାଁ କଟକ ଜିଲ୍ଲା ମଣିଜୋରିଠାରେ ବଡ଼ ବଡ଼
ବରଗଛଗୁଡ଼ିକରେ ପକ୍ଷୀମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରିଥାନ୍ତି । ଏହାବ୍ୟତୀତ
ଶ୍ରୀ ସାହୁ ପୁରୀ, କୋଣାର୍କ ଓ କେନ୍ଦ୍ରାପଡ଼ାରେ ମଧ୍ୟ ପଶୁପକ୍ଷୀଙ୍କ ପାଇଁ ପାଣିର
ବ୍ୟବସ୍ଥା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।
ଏ ନେଇ ଶ୍ରୀଯୁକ୍ତ ସାହୁ କୁହନ୍ତି, ଯେ ଏହି ପାଣି ରଖିବା ଫଳରେ କୁଣ୍ଡାଖିଆ
ଚଢେଇ, ବଣି, କାଉ, ପାରା, ଧବଧବଳିଆ, କାଠହଣା ଚଢେଇ, ଗୁଣ୍ଡୁଚିମୂଷା,
ଏଣ୍ଡୁଅ, ନେଉଳ ବିଭିନ୍ନ ପ୍ରକାର ପକ୍ଷୀ ଓ ସରୀସୃପ ପାଣି ପିଇବା ସହ ସ୍ଥଳ ଭାବରେ ବୁଲା
ଗୋରୁଗାଈ, ବୁଲା ଷଣ୍ଢ, ବୁଲା କୁୁକୁର, ଛେଳିମେଣ୍ଢା ଭଳି ପଶୁମାନେ ପାଣି ପିଇ
ଥକ୍କା ମେଣ୍ଟାଇଥାନ୍ତି । ସେମାନେ ପାଣି ପିଇବା ଫଳରେ ମୋତେ ବହୁତ ଆନନ୍ଦ ଲାଗିଥାଏ ।
ଖରାଦିନେ ପ୍ରାୟ ୫୦୦ ଜାଗାରେ ପଶୁପକ୍ଷୀଙ୍କ ପାଇଁ ପାଣି ରଖିବାର ଯୋଜନା ଅଛି
ଶ୍ରୀ ସାହୁ କୁହନ୍ତି । ସେ ଆହୁରି କହିଛନ୍ତି ଯେ, ଅନେକ ସମୟରେ ଗଛରେ ଚଢିଲା ବେଳେ
ତଳେ ପଡ଼ିଯିବା ସହ ମାଟିପାତ୍ର ଭାଙ୍ଗି ଯାଇଥାଏ । ହେଲେ ଏହାକୁ ଖାତିର ନକରି
ପୁନର୍ବାର ଗଛରେ ଚଢି ପାଣିର ବ୍ୟବସ୍ଥା କରିଥାନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି ।

Leave a Reply

Your email address will not be published. Required fields are marked *

Back To Top
× How can I help you?