ଜଗତସିଂହପୁର ତା ୮/୫(ନିପ୍ର) ରଘୁନାଥପୁର ଅଂଚଳର ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗକୁ ଭିତିକରି ରାଜ୍ୟ ସରକାର ରଘୁନାଥପୁର ତହସିଲଦାର ଅଭିପ୍ସା ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତହସିଲକୁ ବଦଳି କରିଛନ୍ତି। ତାଙ୍କର ବଦଳି ନାମାକୁ ଅଂଚଳର କିଛି ଦୁର୍ନୀତିଗ୍ରସ୍ତ କୁଜିନେତା ଓ ଜୈନିକ ସାଂସଦ ବାତିଲ କରିବା ପାଇଁ ମସୁଧା ଚଳାଇଥିବା କଥା ଅଞ୍ଚଳରେ ଚର୍ଚ୍ଚାଜୋର ଧରିଥିବାବେଳେ ଏହାକୁ ବିରୋଧ କରି ଗୁରୁବାର ଜିଲ୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରା ଯାଇଛି। ବଦଳି ନାମାକୁ କାର୍ଯ୍ୟକାରୀ କରିବା ସହିତ ତାଙ୍କୁ ରଘୁନାଥପୁର ତହସିଲ ରୁ ତୁରନ୍ତ ରିଲିଭ କରିବା ପାଇଁ ଦାବୀକରାଯାଇଛି। ଯଦି ଏଥିରେ ଅନ୍ୟଥାହୁଏ ତାହାହେଲେ ଅଂଚଳର ଜନସାଧାରଣ ଏକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି। ଉକ୍ତ ବିବାଦୀୟ ତହସିଲଦାରଙ୍କ ବଦଳି ନାମା କାର୍ଯ୍ୟକାରୀ ହେଉ ନଥିବା ନେଇ ଅଂଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିବାବେଳେ ଆଜି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜିଲ୍ଲା ସଚେତନ ନାଗରିକଙ୍କ ପକ୍ଷରୁ ଉକ୍ତ ଅଭିଯୋଗ ପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରା ଯାଇଥିବା ଜଣାଯାଇଛି।
Daily News