ତା : ୧୮. ୦୪. ୨୦୨୫ ସମସ୍ତଙ୍କ ପାଇଁ ଶିକ୍ଷା ଓ ଶିକ୍ଷା ଶେଷରେ କର୍ମନିଯୁକ୍ତି, ମହିଳା ହିଂସା ରୋକିବା ପାଇଁ କାର୍ଯ୍ୟକାରି
ପଦକ୍ଷେପ, ସମସ୍ତ ବାହାଘରର ପଞ୍ଜିକରଣକୁ ବାଧ୍ୟତାମୂଳକ କରିବା, ପ୍ରତି ପଂଚାୟତରେ ବିବାହ ପଞ୍ଜିକରଣର ବ୍ୟବସ୍ଥା
କରିବା, ବିବାହ ଖର୍ଚ୍ଚ ଉପରେ ଟିକସ ଲାଗୁ କରିବା ପ୍ରଭୃତି ଦାବୀ ଉତଥାପନ ସହିତ ମହିଳା ମାନଙ୍କର ମର୍ଯ୍ୟାଦାଜଣକ
ଜୀବନର ଅଧିକାର ପାଇଁ ଏକ ସାମାଜିକ ଆନ୍ଦୋଳନ ଗଡି ତୋଳିବା ଉଦ୍ଦେଶ୍ୟରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି,
ଓଡିଶା ରାଜ୍ୟ କମିଟି ପକ୍ଷରୁ ଭୁବନେଶ୍ୱର ଠାରେ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା।
ଦେଶବାସୀଙ୍କର ତ୍ୟାଗ ଓ ବଳିଦାନ ରେ ହାସଲ ହୋଇଥିବା ସ୍ୱାଧୀନତା ପରେ ଡ଼. ବି. ଆର. ଆମ୍ବେଦକର ଙ୍କର ନେତୃତ୍ୱରେ
ସମସ୍ତଙ୍କ ପାଇଁ ସମାନ ଅଧିକାର, ଓ ମର୍ଯ୍ୟାଦାପୁର୍ଣ ଜୀବନର ଅଙ୍ଗିକାର ଓ ପ୍ରତିବଦ୍ଧତା ସମ୍ପନ୍ନ ସମ୍ବିଧାନ ପ୍ରଣୟନ କରା ଯାଇଛି
ଯାହାର ମୂଳ ଆତ୍ମା ହେଉଛି “ବିବିଧତା ଭିତରେ ଏକତା”। ସ୍ୱାଧୀନତା ପରବର୍ତୀ ସମୟରେ ମହିଳା ମାନଙ୍କ ସ୍ଥିତିରେ ଧୀରେ
ଧୀରେ ଉନ୍ନତି ହେଉଥିଲେ ମଧ୍ୟ ବର୍ତମାନ ଏହା ଓଲଟା ଦିଗରେ ଗତି କରୁଛି ବୋଲି ଆଲୋଚକ ମାନେ ଉଦବେଗ ପ୍ରକାଶ
କରିଥିଲେ। ପୁରୁଷତାନ୍ତ୍ରିକ ମାନସିକତା ଓ ବ୍ୟବସ୍ଥାଗତ ତ୍ରୁଟି ଏହାର ଅନ୍ୟତମ କାରଣ। ବ୍ରାହ୍ମଣ୍ୟବାଦୀ ବିଚାରପୁଷ୍ଟ ବର୍ଣାଶ୍ରମ
ବ୍ୟବସ୍ଥାର ଚେର ଦୁଡ଼ିଭୂତ ହୋଇଛି ରାଷ୍ଟ୍ରକ୍ଷମତାର ସହଯୋଗ ରେ। ଆମ ଦେଶର ସମାଜ ସଂସ୍କାର ଆନ୍ଦୋଳନ, ସ୍ୱାଧୀନତା
ସଂଗ୍ରାମ ଓ ସ୍ୱାଧୀନତା ପରବର୍ତୀ ଯୁଗର ସମ୍ବିଧାନ ତଥା ଆଇନଗତ ବ୍ୟବସ୍ଥା ରକ୍ଷନଶୀଳ କୁପମଣ୍ଡୁକ, ଧର୍ମାନ୍ଧ, ଜାତିବାଦୀ ଓ
ପୁରୁଷତନ୍ତ୍ରୀମାନଙ୍କ ପାଇଁ ଅସହ୍ୟ ହୋଇ ଉଠିଛି। ସେମାମନେ ଦାବୀ କରୁଛନ୍ତି –ସମ୍ବିଧାନ ନୁହେଁ, ମନୁବାଦି ଆଧାରରେ
ଶାସନ। ମନୁବାଦରେ ମହିଳାମାନଙ୍କର ସ୍ୱାଧୀନତା, ଅସ୍ତିତ୍ବ ଓ ସ୍ୱତନ୍ତ୍ରତାର କୌଣସି ସ୍ଥାନ ନାହିଁ। ପୁରୁଷତାନ୍ତ୍ରିକତା ଓ
ବର୍ଣ୍ଣବ୍ୟବସ୍ଥା ଉଭୟ ହେଉଛି ମନୁବାଦର ମୁଖ୍ୟ ଆଧାର।ଏଥି ପାଇଁ ସଭାରେ ବକ୍ତା ମାନେ ଉଦବେଗ ପ୍ରକାଶ କରିଥିଲେ।
ମହିଳାମାନଙ୍କର ଶିକ୍ଷା, ସମ୍ମାନ, ଓ ରୋଜଗାର କୁ ନିଶ୍ଚିତ କରିବା ପାଇଁ ଆଗାମୀ ଦିନରେ ରାଜ୍ୟ ବ୍ୟାପୀ ଏକ ଐକବଦ୍ଧ
ସାମାଜିକ ଗଣଆନ୍ଦୋଳନ ଗଡ଼ିତୋଳିବା ପାଇଁ ସମସ୍ତେ ଆହ୍ୱାନ ଦେଇଥିଲେ। ସଂଗଠନର ରାଜ୍ୟ ସଭାନେତ୍ରୀ ସୁଶୀଳା
ମୁଣ୍ଡାଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ କୋଷଧ୍ୟକ୍ଷ ମିନତୀ ପାଣିଗ୍ରାହୀ ସଭାର ଉଦ୍ଦେଶ୍ୟ ଓ ସ୍ୱାଗତ ଭାଷଣ
ଦେଇଥିବା ବେଳେ ରାଜ୍ୟ ସମ୍ପାଦିକା ସୁରାଜିତା ନାୟକ ଭିତ୍ତିପତ୍ର ଉପସ୍ଥାପିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା
ଆଶା ହଂସ, ବିଶିଷ୍ଟ ଶିକ୍ଷାବିଦ ବିଜୟ ବହିଦାର, ସୁରେନ୍ଦ୍ର ଜେନା, ଜନସ୍ୱାସ୍ଥ ଆନ୍ଦୋଳନର ନେତା ଗୌରାଙ୍ଗ ପାଣିଗ୍ରାହୀ
ପ୍ରମୁଖବକ୍ତବ୍ୟ ରଖିଥିଲେ।
ଆଲୋଚନା ସଭାକୁ ପରିଚାଳନା କରିଥିଲେ ସଂଗଠନର ଜାତୀୟ ସମ୍ପାଦିକା ତାପସୀ ପ୍ରହରାଜ।
Daily News