
ଭୁବନେଶ୍ୱର: ତା୧୧.୦୩: ଆଉ ଦିନ କେଇଟା ପରେ ରଙ୍ଗର ପର୍ବ
ହୋଲି । ରଙ୍ଗର ପର୍ବ ହୋଲିରେ ଅଧିକାଂଶ ସମୟରେ ଦେଖିବାକୁ ମିଳେ
ବୁଲା ଗୋରୁଗାଈ, ଷଣ୍ଢ, ବିରାଡ଼ି, କୁକୁର ଆଦି ଜୀବମାନଙ୍କ
ଶରୀର ରାସାୟନିକଯୁକ୍ତ ରଙ୍ଗରେ ରଙ୍ଗୀନ ହୋଇଯାଇଥାଏ । ଏହି ରଙ୍ଗ
ଯଦି କୌଣସି ଜୀବଜନ୍ତୁଙ୍କର ଆଖି ସଂସ୍ପର୍ଶରେ ଆସିଯାଏ ତେବେ
ସେମାନଙ୍କ ଦୃଷ୍ଟିଶକ୍ତି ଚାଲିଯାଇଥାଏ । ଯଦି ସେମାନଙ୍କ ଦେହରେ ଏହି ରଙ୍ଗ
ପଡ଼େ ସେମାନେ ଚାଟିଚୁଟି ସଫା କଲାବେଳେ ତାହା ସିଧା ପେଟକୁ
ଚାଲିଯାଏ । ପରବର୍ତ୍ତୀ ସମୟରେ ଅନେକ ନିରୀହ ଜୀବ ମୃତ୍ୟୁମୁଖରେ
ପଡ଼ିଥାନ୍ତି, ଯାହା ଦେଖିବାକୁ ମିଳିଥାଏ । ଏକଥାକୁ ହୃଦୟଙ୍ଗମ
କରି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର କୁନି ଚିତ୍ରଶିଳ୍ପୀ ଶାନ୍ତନୁ
ଶାନ୍ତିସ୍ୱରୂପ ରଙ୍ଗ ତୂଳୀରେ ଦେଇଛନ୍ତି କ୍ରୁରତା ଶୂନ୍ୟ ହୋଲି ପାଳନର
ବଳିଷ୍ଠ ସନ୍ଦେଶ । କୌଣସି ଜୀବଜନ୍ତୁ ସେ ପୋଷା ହୁଅନ୍ତୁ ବା ବୁଲା
ହୁଅନ୍ତୁ, କାହାରି ଉପରକୁ ରଙ୍ଗ ନମାରିବା ପାଇଁ ଏହି
ପରିପ୍ରେକ୍ଷୀରେ ଶାନ୍ତନୁ ନିବେଦନ କରିଛନ୍ତି ।