*କଳାହାଣ୍ଡି- ନୂଆପଡ଼ା ଜିଲ୍ଲାରେ ରେଳ ବିକାଶ ଦାବି*

Express News

 *କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ କଳାହାଣ୍ଡି ରେଳଯାତ୍ରୀ ସଂଘର ସଭାପତି*

କଳାହାଣ୍ଡି ଜିଲ୍ଲା ରୁ ମାଧବ ସାହୁ ଜଗନ୍ନାଥ ଏକ୍ସପ୍ରେସ୍ 

ଭବାନୀପାଟଣା, ୧୦/୦୩(ଜଗନ୍ନାଥ ଏକ୍ସପ୍ରେସ୍)- ସ୍ୱାଧୀନତାର ଦୀର୍ଘ ଦଶନ୍ଧୀ ଧରି ଅବିଭକ୍ତ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ବିଭିନ୍ନ ରେଳ ସମସ୍ୟା ମଧ୍ୟରେ ରହିଥିବାବେଳେ ବିଭିନ୍ନ ସମୟରେ ନିର୍ବାଚିତ ଜନ ପ୍ରତିନିଧି ଓ ସରକାରଙ୍କ ଉଦ୍ୟମ କ୍ରମେ ବ୍ୟବସ୍ଥାରେ କିଛିଟା ସୁଧାର ହୋଇପାରିଛି। କିନ୍ତୁ ଏହାସତ୍ତ୍ୱେ ଉଭୟ ଜିଲ୍ଲାରେ ରହିଛି ଅନେକ ରେଳ ସମସ୍ୟା। ତେବେ ଏହିସବୁ ରେଳ ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ନାଗରିକ ସଂଗଠନ ଦାବି ଉପସ୍ଥାପନ କରି ଆସୁଥିବାବେଳେ ଏଥିରେ ଆଗରେ ରହିଛି କଳାହାଣ୍ଡି ରେଳଯାତ୍ରୀ ସଂଘ। କଳାହାଣ୍ଡି ରେଳଯାତ୍ରୀ ସଂଘର ସଭାପତି ତଥା କବି, ଲେଖକ ଓ ସଂଗଠକ ଡ. ଭବାନୀ ଶଙ୍କର ନିଆଲଙ୍କ ନେତୃତ୍ୱରେ ସଂଘ ତରଫରୁ ଦୀର୍ଘ ବର୍ଷ ଧରି ଉଭୟ ଜିଲ୍ଲାର ବିଭିନ୍ନ ରେଳ ସମସ୍ୟା ସମ୍ପର୍କରେ ଦାବି କରାଯାଇ ଆସୁଛି। ଚଳିତ ରେଳ ବଜେଟରେ ଓଡ଼ିଶା ପାଇଁ ୧୦୫୮୬ କୋଟି ଟଙ୍କା ମଞ୍ଜୁର କରାଯାଇଥିବାରୁ ସେ କେନ୍ଦ୍ର ସରକାରଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ଏପରିକି ଅବିଭକ୍ତ କଳାହାଣ୍ଡି, ନୂଆପଡା ଜିଲ୍ଲାର ରେଳ ସମ୍ପର୍କିତ ବିଭିନ୍ନ ଦାବି ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ୮ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ, ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଓ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ଜରିଆରେ ଏହା ପଠାଯାଇଛି। ସଂଘର ସଭାପତି ଡ. ନିଆଲ ଏ ସମ୍ପର୍କିତ ଦାବିପତ୍ର ପ୍ରଦାନ ସହିତ ଉଭୟ ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ଓଡିଶାର ଗୁରୁତ୍ୱପୂର୍ଣ୍ଣ ଦୁଇଟି ଜିଲ୍ଲାରେ ରେଳ ବିକାଶ ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଦାବିଗୁଡିକ ମଧ୍ୟରେ ନର୍ଲାରେ ଇଲେକ୍ଟ୍ରିକ ଲୋକୋମୋଟିଭ ପ୍ରକଳ୍ପ ସ୍ଥାପନରେ ଅଗ୍ରଗତି, ଜୁନାଗଡ଼ ରୋଡ଼-ଧର୍ମଗଡ଼- ନବରଙ୍ଗପୁର ରେଳଲାଇନ, କଣ୍ଟାବାଞ୍ଜି- ଖରିଆର- ସିନାପାଲି-ଗୋଲାମୁଣ୍ଡା- ଧର୍ମଗଡ଼, ଲାଞ୍ଜିଗଡ଼ ରୋଡ଼- ଫୁଲବାଣୀ, କେସିଙ୍ଗା-ଉତ୍କେଲା- ଭବାନୀପାଟଣା ରେଳ ଲାଇନ, ରାୟପୁର-ରାଜିମ-ଦେଭୋଗ- ଧର୍ମଗଡ଼, କେସିଙ୍ଗା, ଜୁନାଗଡ଼ ରୋଡ଼ ପର୍ଯ୍ୟନ୍ତ ଇସ୍ପାତ ଏକ୍ସପ୍ରେସ ଟ୍ରେନ ସଂପ୍ରସାରଣ, ନୂଆପଡ଼ା ରୋଡ଼, ରୁପ୍ରାରୋଡ଼, ନର୍ଲାରୋଡ଼, ଲାଞ୍ଜିଗଡ ରୋଡ଼ଠାରେ ଦୂରଗାମୀ ଟ୍ରେନ ରହଣୀ, ବିଶାଖାପାଟଣା-ଜୁନାଗଡ଼ ରୋଡ଼କୁ ନୂତନ ଟ୍ରେନ ସଂଯୋଗ ଭଳି ଦାବି ରହିଛି। ତେବେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଆଦିବାସୀ ଅଧ୍ୟୁଷିତ କେବିକେ ତଥା ଆକାଂକ୍ଷୀ ଜିଲ୍ଲା ଭାବେ ପରିଚିତ ଏହି ଦୁଇଟି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସେହିପରି ଧର୍ମଗଡ଼- ନବରଙ୍ଗପୁରକୁ ନୂତନ ରେଳ ଲାଇନ ସଂଯୋଗ ପାଇଁ ଜମି ଅଧିଗ୍ରହଣ ନୋଟିସ ପରେ ଧର୍ମଗଡ଼କୁ ସିଧାସଳଖ ରେଳ ସଂଯୋଗ ପାଇଁ ମଧ୍ୟ ସେ ଦୃଷ୍ଟି ଆକର୍ଷଣ କରିଛନ୍ତି।

Leave a Reply

Your email address will not be published. Required fields are marked *

Back To Top
× How can I help you?