କୋମଳମତି ଛାତ୍ରଛାତ୍ରୀମାନଙ୍କ ପ୍ରତିଭାକୁ ସାର୍ବଜନୀନ କରିବା ଉତ୍ସବ ପାଳନର ଉଦ୍ଦେଶ୍ୟ: ମାନ୍ୟବର ମନ୍ତ୍ରୀ

Express News

ଉଦଯାପିତ ହେଲା ସର୍ଗିଫୁଲ ୨୦୨୪
• କୋମଳମତି ଛାତ୍ରଛାତ୍ରୀମାନଙ୍କ ପ୍ରତିଭାକୁ ସାର୍ବଜନୀନ କରିବା ଉତ୍ସବ ପାଳନର ଉଦ୍ଦେଶ୍ୟ: ମାନ୍ୟବର ମନ୍ତ୍ରୀ

ଭୁବନେଶ୍ବର, ୨୦ ଡିସେମ୍ବର ୨୦୨୪ :
ଉଦଯାପିତ ହୋଇଯାଇଛି ରାଜ୍ୟସ୍ତରୀୟ ସର୍ଗିଫୁଲ ଉତ୍ସବ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ, ପଛୁଆବର୍ଗ କଲ୍ୟାଣ ବିଭାଗ, ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହି ଏସସିଏସଟି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଛନ୍ତି । ସେହିପରି ଉତ୍ସବରେ ଅନ୍ୟାନ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଡ. ପୋମା ଟୁଡୁ ସ୍ବାଗତ ଅଭିଭାଷଣ ରଖି ଉତ୍ସବର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବେ ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ଅନ୍ୟାନ୍ୟ ପଛୁଆ ବର୍ଗ ନିର୍ଦ୍ଦେଶକ ଶ୍ରୀମତୀ ଯୁଗଳେଶ୍ବରୀ ଦାଶ, ଏଟିଏଲସି ସହନିର୍ଦ୍ଦେଶକ ଶ୍ରୀଯୁକ୍ତ ସମରେନ୍ଦ୍ର ଭୂତିଆ, ଉପନିର୍ଦ୍ଦେଶକ ଶ୍ରୀଯୁକ୍ତ ସନ୍ତୋଷ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

ଉଦଯାପନୀ ସନ୍ଧ୍ୟାରେ ଯୋଗ ଦେଇ ମାନ୍ୟବର ମନ୍ତ୍ରୀ ପିଲାମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସଫଳ ଭବିଷ୍ୟତ କାମନା କରିଛନ୍ତି । ସେ କହିଛନ୍ତି, “ସର୍‌ଗିଫୁଲ୍‌’’ ପବିତ୍ରତାର ପ୍ରତୀକ । ଜନଜାତି ସମାଜର ସାମାଜିକ-ସାଂସ୍କୃତିକ-ଅର୍ଥନୈତିକ ବିକାଶର ପ୍ରତୀକ ହିସାବରେ “ସର୍‌ଗିଫୁଲ୍‌’’ ପରିଚିତ । ଏହି ଉତ୍ସବରେ ପିଲାମାନଙ୍କ ଅଂଶଗ୍ରହଣ ଏହାକୁ ଅଧିକ ପ୍ରାଣବନ୍ତ ଓ ଗରିମାମୟ କରିଛି ବୋଲି ସେ ମତପ୍ରକାଶ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ବିଭାଗ ଅଧିନସ୍ଥ ବିଦ୍ୟାଳୟ ତଥା ଛାତ୍ରାବାସରେ ରହି ପାଠପଢୁଥିବା କୋମଳମତି ଛାତ୍ରଛାତ୍ରୀମାନଙ୍କ ପ୍ରତିଭାକୁ ସାର୍ବଜନୀନ କରିବା ଓ ସେମାନଙ୍କ ଦକ୍ଷତାକୁ ବିକଶିତ କରିବା ଏହି ଉତ୍ସବ ପାଳନର ଉଦ୍ଦେଶ୍ୟ । ଏଥିସହିତ ଏହି ସଫଳ ରାଜ୍ୟସ୍ତରୀୟ ଉତ୍ସବର ଆୟୋଜନ କରିଥିବାରୁ ବିଭାଗର ସମସ୍ତ ଅଧିକାରୀ ଓ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ଅବସରରେ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର ୧୨ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସିବିଏସଇ ବୋର୍ଡ଼ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୮ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଅଛି । ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଥିବା ୮୮ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।ଏକ ସ୍ବତନ୍ତ୍ର ସ୍ମରଣିକା “ସର୍ଗିଫୁଲ ୨୦୨୪” କୁ ମାନ୍ୟବର ମନ୍ତ୍ରୀ ଉନ୍ମୋଚନ କରିବା ସହ ସମ୍ପାଦକ ବରିଷ୍ଠ ପ୍ରଫେସର ଦାଶ ବେନୁହୁର ଓ ଏଟିଏଲସି ସହ ନିର୍ଦ୍ଦେଶକ ସମରେନ୍ଦ୍ର ଭୂତିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Back To Top