ପଦ୍ମଶ୍ରୀ ବଳିଆଙ୍କ ୫ ଦିନିଆ ଗୀତା କଥା ସହ ପରିବାର ପରିବେଶ ଓ ଗଣତନ୍ତ୍ରକୁ ନେଇ ଆଲୋଚନାଚକ୍ର

Express News

ପଦ୍ମଶ୍ରୀ ବଳିଆଙ୍କ ୫ ଦିନିଆ ଗୀତା କଥା ସହ ପରିବାର ପରିବେଶ ଓ ଗଣତନ୍ତ୍ରକୁ ନେଇ ଆଲୋଚନାଚକ୍ର
ଭୁବନେଶ୍ୱର, ୧୨.୧୨ : ଆଗାମୀ ୨୦୨୫ ମସିହା ଜାନୁଆରୀ ୨ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ପ୍ରତ୍ୟହ ସନ୍ଧ୍ୟା ୬ ଘଟିକା ସମୟରେ ଜ୍ଞାନ ବିଜ୍ଞାନ ସମ୍ବଳିତ ଗୀତା କଥା କହିବେ ଓଡ଼ିଶାର ବିଶିଷ୍ଟ ସନ୍ଥ, ସଂସ୍କାରକ ତଥା ପରିବେଶ ଓ ଗଣତନ୍ତ୍ରପ୍ରେମୀ ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆ ।
ଅନନ୍ତ ବଳିଆ ଟ୍ରଷ୍ଟର ଭୁବନେଶ୍ୱର ଶାଖା ସଂଘ, ବିଶ୍ୱ ସନାତନ ସେବା ସଂଘ ଓ ଗୀତା ସାବତ୍ରୀ ସଂଘର ମିଳିତ ଆନୁକୂଲ୍ୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ, ସ୍ୱାଗତ କମିଟିର ଅଧ୍ୟକ୍ଷ, ସମ୍ବାଦର ପ୍ରତିଷ୍ଠାତା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆବାସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସ୍ୱାଗତ ଭାଷଣରେ କମିଟିର ସାଧାରଣ ସମ୍ପାଦକ ବାବା ଶ୍ରୀ ପ୍ରଣବାନନ୍ଦ ଦାସ (ମନୁଭାଇ) କହିଲେ ଯେ, ଶ୍ରୀମଦ୍ ବାବାଙ୍କ ପଞ୍ଚଦିବସୀୟ କାର୍ଯ୍ୟକ୍ରମରେ ଗୀତା କାହିଁକି ପଢିବା, ଜୀବନ ଏକ ଗୀତା, ନିଜ ଭିତରେ ଶାନ୍ତି ପାଇବାର ଉପାୟ, ମୁଁ କିଏ, କେଉଁଠୁ ଆସିଛି ଓ ମୋର କର୍ତ୍ତବ୍ୟ କଣ ଓ ନିଜକୁ ଜାଣିବାର କୌଶଳ ଉପରେ ପ୍ର୍ରତ୍ୟହ ସନ୍ଧ୍ୟା ୬ ଘଟିକାରୁ ୮ ଘଟିକା ୩୦ ମିନିଟ୍ ପର୍ଯ୍ୟନ୍ତ ଗୀତା କଥା କହିବେ । ଭୁବନେଶ୍ୱରବାସୀ ଏହାର ସୁଯୋଗ ନେବାକୁ ସେ ନିବେଦନ କରିଥିଲେ ।
ସ୍ୱାଗତ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ସନ୍ଧ୍ୟାରେ ଗୀତା କଥା ସହ ଶ୍ରୀମଦ୍ ବାବା ଆଜକୁ ଦୀର୍ଘ ୪୦ ବର୍ଷ ଧରି ପରିବେଶ ପାଇଁ ବୃକ୍ଷରୋପଣ, ଗଣତନ୍ତ୍ର ସଚେତନତା ପାଇଁ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ୧୪ଗୋଟି ଜାତୀୟସ୍ତରୀୟ ଆଲୋଚନାଚକ୍ର କରିସାରିଛନ୍ତି । ବର୍ତ୍ତମାନ ପରିବାରରେ ପିତାମାତାଙ୍କ ପ୍ରତି କର୍ତ୍ତବ୍ୟ ଏ ସବୁକୁ ନେଇ ଏକ ଜାତୀୟସ୍ତରୀୟ ଆଲୋଚନା ଚକ୍ର ଜାନୁଆରୀ ୩,୪ ଓ୫ ତାରିଖରେ ରବୀନ୍ଦ୍ର ମଣ୍ଡପଠାରେ ପୂର୍ବାହ୍ନ ୧୦ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ଆଲୋଚନାରେ ଅଂଶଗ୍ରହଣ କରି ସ୍ୱାଗତ କମିଟିର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ, ପରିବେଶ ଓ ନଦୀ ସୁରକ୍ଷା ପାଇଁ ଦୀର୍ଘଦିନ ହେବ ଯେଉଁ ବିଶିଷ୍ଟ ବ୍ୟକ୍ତିମାନେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ସହ ଏବେଠାରୁ ଯୋଗାଯୋଗ କରାଯିବା ଉଚିତ୍ । ସେହିପରି ଗଣତନ୍ତ୍ର ପାଇଁ ହେବାକୁ ଥିବା ଆଲୋଚନା ଚକ୍ରକୁ ପ୍ରଭାବଶାଳୀ କରିବାକୁ ହେଲେ ଗଣତନ୍ତ୍ରର ୪ଟି ସ୍ତମ୍ଭ ସଂସଦ, ପ୍ରଶାସନ, ବିଚାର ବିଭାଗ ଓ ଗଣମାଧ୍ୟମ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ, ଅଭିଜ୍ଞତାସମ୍ପନ୍ନ ପୂର୍ବ ପ୍ରଶାସକ, ପ୍ରାଧ୍ୟାପକ ଏବଂ ନିର୍ବିବାଦୀୟ ଗଣମାଧ୍ୟମ ପ୍ରତିନିଧି ଓ ରାଜ୍ୟର ସାମାଜିକ ଆନ୍ଦୋଳନର କର୍ମକର୍ତ୍ତାଙ୍କୁ ସାମିଲ୍ କଲେ ଶ୍ରୀମଦ୍ ବାବାଙ୍କ ପୂର୍ବ କାର୍ଯ୍ୟକ୍ରମମାନଙ୍କ ଭଳି ଏହି କାର୍ଯ୍ୟକ୍ରମ ମଧ୍ୟ ପ୍ରଭାବଶାଳୀ ହେବ । ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ, ପରିବାର ସଂସ୍କାର ହେଲେ ସମାଜ ସଂସ୍କାର ହେବ, ଏଣୁ ଆଧ୍ୟାତ୍ମିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଉଦାହରଣ ସ୍ୱରୂପ ଆର୍ଯ୍ୟ ସମାଜ, ବ୍ରହ୍ମକୁମାରୀ, ଠାକୁର ନିଗମାନନ୍ଦ, ଠାକୁର ଅନୁକୂଳଚନ୍ଦ୍ର, ସ୍ୱାମୀ ଶିବାନନ୍ଦ, ଅଭିରାମ ପରମହଂସ ଓ ବାବା ବୈକୁଣ୍ଠନାଥଙ୍କ ସଂସ୍ଥାର ପ୍ରଭାବଶାଳୀ ବ୍ୟକ୍ତିତ୍ୱମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ୍ କରି ସେମାନଙ୍କର ମତାମତ ନିଆଗଲେ ଆଲୋଚନାଚକ୍ର ପ୍ରଭାବଶାଳୀ ହେବା ସହ ଆଲୋଚନାଚକ୍ରରେ ଭାଗ ନେବାକୁ ଆସିଥିବା ଛାତ୍ରଛାତ୍ରୀ ଓ ଯୁବକମାନେ ବିଶେଷ ଭାବେ ଉପକୃତ ହେବେ ।
ଶ୍ରୀମଦ୍ ବଳିଆଙ୍କ କୃପାପାତ୍ର ବାବା ରାଧେଶ୍ୟାମ ଦାସ (ରାଜୁଭାଇ) ଆଲୋଚନାରେ ନିଜର ମତରଖି କହିଲେ ଯେ, ଏହି ଜାତୀୟ ଆଲୋଚନା ଚକ୍ରରେ ବିଶେଷ ଭାବରେ ରାଜଧାନୀର ଯୁବକ ଓ ଛାତ୍ରମାନେ କିଭଳି ଅଂଶଗ୍ରହଣ କରିପାରିବେ, ସେଥିପାଇଁ ସ୍ୱତନ୍ତ୍ର ଭାବେ ଚିନ୍ତା କରାଯିବା ଉଚିତ୍ । ଏହି ପଞ୍ଚଦିବସୀୟ କାର୍ଯ୍ୟକ୍ରମର ସ୍ମୃତିକୁ ସଂରକ୍ଷିତ ରଖିବା ପାଇଁ ଏକ ସୁଦୃଶ୍ୟ ରଙ୍ଗୀନ ସ୍ମରଣିକା ପ୍ରକାଶ ପାଇବ ବୋଲି ବାବାଜୀ ପରମାତ୍ମା ଦାସ ଘୋଷଣା କରିଥିଲେ । ଏଥିପାଇଁ ବିଶିଷ୍ଟ ଲେଖକ, ପ୍ରାଧ୍ୟାପକ, ବୁଦ୍ଧିଜୀବୀ ମାନଙ୍କ ଲେଖା ଏବେଠାରୁ ସଂଗ୍ରହ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ । ଇଂ ପ୍ରକାଶ ଦାଶ କହିଲେ ଯେ, ଜାନୁଆରୀ ୬ ତାରିଖ ପୂର୍ବାହ୍ନରେ ରବୀନ୍ଦ୍ର ମଣ୍ଡପଠାରେ ହେବାକୁ ଥିବା ଗୁରୁ ପ୍ରଣାମ ଉତ୍ସବ-୨୦୨୫ରେ ଜଣେ ଶିକ୍ଷାବିତ୍‌, ଜଣେ ପାଲାଚାର୍ଯ୍ୟ ଓ ଶ୍ରୀମଦ୍ ବାବାଙ୍କ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏଥିସହ ମୁଖ୍ୟ ଆଶ୍ରମରେ ସେବା ଦେଉଥିବା ବରିଷ୍ଠ ଡାକ୍ତରମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ବିକ୍ରମ ପରିଡ଼ା କହିଲେ ଯେ, ଚଳିତ ବର୍ଷର ଶେଷଦିନ ଡିସେମ୍ବର ୩୧ ତାରିଖ ୧୧ ଘଟିକା ସମୟରେ ଶ୍ରୀମଦ୍ ବାବା ଏକ ସାମ୍ବାଦିକ ସମ୍ମିଳନୀ ରେଡ଼କ୍ରସ ଭବନରେ କରିବାର କାର୍ଯ୍ୟକ୍ରମ ରହିଛି । ଏହି ମହାନ୍ ଆଧ୍ୟାତ୍ମିକ ଓ ସାମାଜିକ କାର୍ଯ୍ୟକ୍ରମରେ ଯେଉଁମାନେ ଆନ୍ତରିକ ସହଯୋଗ କରିବାକୁ ଚାହିଁବେ, ସେମାନେ ଅଭ୍ୟର୍ଥନା କମିଟିର ସାଧାରଣ ସମ୍ପାଦକ ତଥା ଅନନ୍ତ ପ୍ରଭାର ସମ୍ପାଦକ ବାବା ପ୍ରଣବାନନ୍ଦ ଦାସ (ମନୁଭାଇ)ଙ୍କ ସହ ମୋବାଇଲ ନଂ-୯୩୩୭୩୩୧୨୩୧ରେ ଯୋଗାଯୋଗ କରିବାକୁ ସଚ୍ଚିଦାନନ୍ଦ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *

Back To Top